Unknown

 

 

 

 

 

 

 

 

 

ଜଣାଣ ଓ ସଙ୍ଗୀତ

ଶ୍ରୀ ବ୍ରଜନାଥ ବଡ଼ଜେନା

 

ନିରାଶ ରୀତିକି ଛାଡ଼ ଗୋ ଜନନୀ

ନୀଳାଦ୍ରି କ୍ଷେତ୍ର ବଦନୀ ମୋହ ଘେନି ନିନ୍ଦା ପାଇବୁଟି ବଡ଼ ଗୋ ।ପଦ।

 

ପକାଇ ଦେଲେ ମୁଁ ପେଲି ପଶୁଥିବି ଧରି ଚରଣ ପାହୁଡ଼

ନାହିଁ ମୋର ଗତି ତ୍ରାହି ଭଗବତି ତୁହି ଏଥର ନହୁଡ଼ ଗୋ ।୧।

 

ଖୋଜି ଖୋଜି କେତେ ଦେଖିଲି ଜଗତେ ଦୟାକୁ ତୋତେ ମୁଁ ବଡ଼

ନରଖିବୁ ଯେବେ ଅରଖିତ ତେବେ ଭାସିଲା ଏ କଥା ଦୃଢ଼ ଗୋ ।୨।

 

ସିଂହ ଦୁଆର ଏ ପାଖେ ପକାଇବୁ କରିଣ କାଙ୍ଗାଳ ଧେଡ଼ି

ତୋ ଭାବେ ମଜ୍ଜନ ହେବ କି ଜୀବନ ଅନ୍ନ ବିନା ଦିଶୁ ବାଡ଼ ଗୋ ।୩।

 

ସେଠାରେ ପଡ଼ିବା ଯାଏ ଚଳୁଥାଉ ପଛେ ଭାଜି ଯାଉ ଗୋଡ଼

କବଳେ କବଳେ କଇବଲ୍ୟ ଦେବୁ କଟୀକି ଛିଡ଼ା କାପଡ଼ ଗୋ ।୪।

 

ଆନ ମନ ନକରିଣ ତୋ ଧିଆନ ଭାବେ ହୋଇଯିବ ଜଡ଼

ବ୍ରଜନାଥ ବୋଲେ ପତିତପାବନୀ ନାମର ଏ କୃପା ବଡ଼ ଗୋ ।୫।

 

ଚିତ୍ତ ଚିନ୍ତ ଜଗନ୍ନାଥ କଳା ମୁଖକୁ ।

ପାଇବୁ ପରମାନନ୍ଦ ସୁଖକୁ ରେ ।

 

ଅରୁଣ ରଙ୍ଗ ଅଧର ଆହା କେଡ଼େ ମନୋହର

ହସୁଥିଲା ପ୍ରାୟେ ଦିଶେ ପାଖକୁ ରେ ।୧।

 

ପ୍ରବଳ ବିପୁଳ ବାହା ଟେକିବା ଭଙ୍ଗୀକି ଚାହାଁ

ଯାହା ତଳେ ରଖନ୍ତି ଅରକ୍ଷକୁ ରେ ।୨।

 

ସୁନିଶ୍ଚଳ ଚକା ଆଖି ଚାହିଁଲେ କରି ନିରେଖି

ନ ଯିବୁ ଯମଦଣ୍ତ ପାଖକୁ ରେ ।୩।

 

କରୁଣାରେ ପରିପୂର୍ଣ୍ଣ ଢ଼ାଳେ ପଙ୍କଜ ନୟନ

ତାରୁଛନ୍ତି ପାପୀ ଲକ୍ଷ ଲକ୍ଷକୁ ରେ ।୪।

 

ଅଟନ୍ତି କି ଭାବଗ୍ରାହୀ ଶ୍ରୀବତ୍ସ ପାଦକୁ ବହି

ଅଛନ୍ତି, ଅନାଉ କିନା ବକ୍ଷକୁ ରେ ।୫।

 

 

 

କର୍ଣ୍ଣେ ମକର କୁଣ୍ତଳ ଝଲକେ ଗଣ୍ତ ମଣ୍ତଳ

ନାହିଁ ତ ଉପମା ଦେବା ଲକ୍ଷ୍ୟକୁ ରେ ।୬।

 

କପୋଳେ ରତନ ଚିତା ଦେଖି ଧରି ନୋହେ ଚେତା

ତଥିପରେ ହେମ ରାହୁ ରେଖାକୁ ରେ ।୭।

 

ବ୍ରଜନାଥ ବୋଲେ କାଳ ଦେବତା ନଧରୁଁ ବାଳ

କରିଥା କରୁଣାସିନ୍ଧୁ ପକ୍ଷକୁ ରେ ।୮।

 

ଦୀନଜନ ବନ୍ଧୁ ଆରତ ତ୍ରାଣ

ଦଶ ଚାରି ଭୁବନର ଶରଣ

ଦିନକୁ ଦିନ ଦୁଃଖ ହେଲା ଭାରି,

ଦୀନଜନମାନେ ଛାଡ଼ିଲେ ହୁରି

ଦୟା ଏଣୁ ତେଜି,

ଦାରୁଣ ହେଲକି ଶ୍ରବଣ ବୁଜି ।୧।

 

ଦେଇ ଦେଇ ହେଲା ଭଣ୍ତାର ଶୂନ୍ୟ,

ଦୁଆର ନ ଛାଡ଼ିଲେ ଦୀନଜନ

ଦଇବେ ତ ଦୁଃଖୀ ହେଲେ ପ୍ରବଳ

ଦେବାକୁ ଯେଣୁ ନ ପାରଲା ବଳ

ଦୟା ଏଣୁ ତେଜି,

ଦାରୁଣ ହେଲ କି ଶ୍ରବଣ ବୁଜି ।୨।

 

ଦ୍ରୋହ କଲ ବା କମଳା ନାରୀଙ୍କି

ଦେଲେ ସେ ଭଣ୍ତାର ଦ୍ୱାର ପାରିକି

ଦିନେ ତୁମ୍ଭଙ୍କୁ ନମିଳିଲା ବେଳେ

ଦେବ କାହୁଁ ବା ମାଗିଲେ କବଳେ

ଦୟା ଏଣୁ ତେଜି,

ଦାରୁଣ ହେଲ କି ଶ୍ରବଣ ବୁଜି ।୩।

 

ଦୂରେ ଥାଇ ଗଜ ଡ଼ାକ ଶୁଣିଲ

ଦୁଷ୍ଟ କୁମ୍ଭୀରକୁ ଚନ୍ତ୍ରେ ହାଣିଲ

ଦୌପଦୀ ଆରତ ଫେଡ଼ିଲ ଯେଣୁ

ଦୁଃସହ ଭାରା ହେଲା ଅବା ତେଣୁ

ଦୟା ଏଣୁ ତେଜି,

ଦାରୁଣ ହେଲ କି ଶ୍ରବଣ ବୁଜି ।୪।

 

ଦ୍ୱିସପ୍ତ ଲୋକର ମୋପରି ଯେଣୁ

ଦୁଃଖୀ ନ ଦେଖି ଭୟ କଲ ତେଣୁ

ଦଇବେ ଦୀନରେ ଅଗ୍ରଣୀ ମୁଁ ତ

ଦିବା ରାତ୍ରରେ ଭାଳେ ବ୍ରଜନାଥ

ଦୟା ଏଣୁ ତେଜି,

ଦାରୁଣ ହେଲ କି ଶ୍ରବଣ ବୁଜି ।୫।

 

ନବଘନ ଶ୍ୟାମ ହେ, ଶତ କାମଜିତ ଅଭିରାମ

ଗୋପପୁର-କୁଳ-ପାଳିବାକୁଳ-ମୋହ-ମାଦକ-ଧାମ ।

 

କଳିତ କଳରବ ମଧୁର ମଞ୍ଜୁଳ

ଲଳିତ ବେଣୁ ବିଳାସ ଚଞ୍ଚଳ

ଦଳିତ କାଳୀୟ ସର୍ପ ଦର୍ପକ ଦୁଷ୍ଟ ଦାନବ କାଳ ହେ ।୧।

 

କୁଞ୍ଜ କାନନ କେଳି କୌତୁକ

କୌତୁକୀ ସୁର ନିକର ନାୟକ

ଗବଂ ଗଞ୍ଜନ ସର୍ବ ରଞ୍ଜନ ଗୋପ ଭୂପତି ବାଳ ହେ ।୨।

 

ଲପନ ଛବି ଜିତ ଚନ୍ଦ୍ରମଣ୍ତଳ

ତପନ ଦୀପନ କର୍ଣ୍ଣ କୁଣ୍ତଳ

ବିପିନ ଚାରଣ ଚରଣ ରୁଣଝୁଣ,ହେମ ନୁପୁର ନାଦ ହେ ।୩।

 

ବିବୁଧବରବର ଦୁଷ୍ଟଦାରଣ

ଗୋପ ଗୋକୁଳ କଷ୍ଟ ହାରଣ

ପ୍ରଳୟ-ପାଳନ ସୃଷ୍ଟିକାରଣ, ଦେବ ଚିନ୍ତିତପାଦ ହେ ।୪।

 

ଭକ୍ତବତ୍ସଳ ଦୀନବାନ୍ଧବ

ମୁକ୍ତି ଦାୟକ ରାଧିକାଧବ

ଦେବ ବନ୍ଦିତ ହେ ଦୟାମୟ,ଖେଦ ଖଣ୍ତନ ନାଥ ହେ ।୫।

 

କେଶୀ-ଅଘ-ବକ-ଶକଟ-ସଂକଟ

ନାଶୀ ତବ ପଦ ପଦ୍ମ ମଧୁଲିଟ

ଦୀନବର ବ୍ରଜ-ନାଥ ବୋଲେ ଦର,ଦୂରକର ଦର ହାଥ ହେ ।୬।

 

ସଖି ! ଦେଖିଲି ଆଜ ମୁଁ ବ୍ରଜପତିଙ୍କି ଗୋ

ମନ ଅଭିରାମ ନବ ଚୂତ କାନ୍ତିକି ଗୋ ।

 

ସଜଳ-ଜଳଦ ନୀଳ

ମଞ୍ଜୁଳ ତମାଳ ଦଳ

ଦଳିତ-କଜ୍ଜ୍ୱଳ ଶ୍ୟାମ ଦ୍ୟୁତିକ ଗୋ ।୧।

 

କଟିତଟେ ପୀତପଟ

ଘନେ ଚପଳା ଚହଟ

ନଟବର ମନୋହର ମୂର୍ତ୍ତିକି ଗୋ ।୨।

 

ଶିଖି ଶିଖଣ୍ତକ ଚୂଳ

ସୁଷମ କୁସୁମମାଳ

ଲୁଳୁଥିଲା କଣ୍ଠୁ ପାଦ କତିକି ଗୋ ।୩।

 

ମୃଦୁ ମନ୍ଦ ମନ୍ଦ ହାସ

ସୁରଙ୍ଗ ଓଷ୍ଠେ ପ୍ରକାଶ

ହୋଇ ନାଶେ ଅନାୟାସେ ଧୃତିକି ଗୋ ।୪।

 

ନ୍ତ୍ରିଭଙ୍ଗୀ ଛନ୍ଦରେ ଉଭା

ଶ୍ରୀକରେ ମୁରଲୀ ଶୋଭା

ଯହିଁ ବାଇ କଲେ କୁଳବତୀଙ୍କି ଗୋ ।୫।

 

ଦୀନ ବ୍ରଜନାଥ ରାତି

ଦିନ ଏ କେଶୀଅରାତି

ରୂପ ଭାବୁଅଛି ଭବ ଭୀତି କି ଗୋ ।୬।

 

(ରାଗ-ଧନାଶ୍ରୀ)

ଆଜି ବନମାଳୀ ଗୁଣ ଜପାମାଳି ହୋଇଲା

ଅଳି କେତକୀ ପରା ଯା ମୋତେ ସେ ନ ଚାହିଁଲା ରେ ।ପଦ।

 

ଭାଳିଲେ କି ହେବ ଯେ ଯା ଅର୍ଜିଲା ତା ପାଇଲା

ଭାଳିଆଇ ତୁ ଯା କଲୁ ସେତ ମନେ ରହିଲା ।୧।

 

ଓଳିକି ଓଳି ଲାଗିଲୁ ତୋତେ ଲଘିଂ ନୋହିଲା

ଓଳି ପଦାରେ ମନ୍ଦିରେ ତା ଗୁଣ ତ ପଇଲା ।୨।

 

ଗାଳି ଦେଲି ତାକୁ ଯେବେ ମୋ ପାଶକୁ ଅଇଲା

ଟାଳି ଦେଲାକୁ ତୁ ସିନା ବହପ ସେ ପାଇଲା ।୩।

 

ମିଳିଲେନି କେଳିକି ତା ଭଳି ଯେତେ ଛଇଳା

ତଳିପା ତଳେ ତ ଗୋପ ଭୂପପଣ ଥୋଇଲା ।୪।

 

କୁଳୀନ ଯୁବତୀ ମୋରେ ମଳି କାହୁଁ ଅଇଲା

ତାଳି ଧରିବାକୁ ଏବେ ନଳୀନ-ଜ ବହିଲା ।୫।

 

କାଳୀଦଳି ନିଆଁ ଗିଳି ତୋଳି ଗିରି ଧଇଲା

ବଳିଗଲା ସେ ଦିନୁଟି ବ୍ରଜନାଥ ବୋଇଲା ।୬।

 

ଦୂତି ରତିପତି ଭୀତି ଅତିରେକ ହୋଇଲା

ହୃଦୟେ ଉଦୟ ହୋଇ କାମାନଳ ଦହିଲାରେ ।

 

ଆନ ହେତୁ କିଛି ନାହିଁ

ଆନନକୁ ମୋର ସହି

ଆନନ୍ଦେ ନନ୍ଦ-ନନ୍ଦନ ଏକମାତ୍ର ଚାହିଁଲା ।୧।

 

ନାସା ଫୁଲାଇବା ରୀତି

ସୁସ୍ମିତ ମିଶା ଭାରତୀ

ତା ଚାରୁଠାର ଚାହାଣୀ ଆନକୁ ତ ନଇଲା ।୨।

 

ଦୂରୁଁ ଚାହିଁଲା କ୍ଷଣି ସେ

ଚାରୁ ଭୁରୁ ନାଟ ରସେ

କରୁଁ କରୁଁ କରୁଁ ମୋର କୁମ୍ଭ ଖସି ପଇଲା ।୩।

 

କଟୀତଟେ ପୀତାମ୍ୱର

ପଟ୍ଟ ପିନ୍ଧା ଆଡ଼ମ୍ୱର

ହଟି ଚିତ୍ତ ବଟି ନେଇ ନଟ ସିନା ସାଇଲା ଗୋ ।୪।

 

ବ୍ରଜନାଥ ହୋଇ ରତା

ଭାସେ ଭାସିଯିବ ଚିନ୍ତା

ରସା ରସ-ରାଶିକି ତୁ ଭେଟି ଗୋପୀ ବୋଇଲା ।୫।

 

ପଡ଼ିଲି କି ପରମାଦେ, ନନ୍ଦସୁତ ମୋତେ ଲାଗିଲା ବାଦେ

ରଜନୀ ଦିବସ ସଜନୀ ତା ବଶ ହୋଇ ବାଇ ହେଲି ମୁରଲୀ ନାଦେ ।

 

ଯେତେବେଳେ ମୁହିଁ ପାଣି ଆଣିଯାଇ ଜଗି ବସିଥାଇ ବିଜନ ପଦେ

ଛଟକ ମଟକେ ସରାଗେ ମୋ ଆଗେ ଅଟକେ କହିବାଯାଏ ମୁଁ ପଦେ ।୧।

 

ମନ୍ଦ ନଣନ୍ଦ ଯା ବାଦ ଉପୁଯାଏ ନନ୍ଦ ନନ୍ଦନର ପ୍ରୀତି ଦୁର୍ବାଦେ

ଦୂରେ ତାକୁ ଦେଖି ଦରେ ବୁଜି ଆଖି ଘରେ ପଶିଯାଇ ମନ ବିଷାଦେ ।୨।

 

ଅତି ସରାଗରେ ଅନାଇଁ ଯାଏ ଯା କହ୍ନାଇ ଅଧର ଭିଡ଼ିଣ ରଦେ

ଧରତିରେ ତାର ବରତି ଯିବ କେ ସୁରତି ଇଚ୍ଛିବ ଜରତୀ ହୃଦେ ।୩।

 

ଦିଶେ ଦିଶେ ସହି ଦିଶେ ମୋତେ ସେହି ତା ବେଶ ସପନେ ଦେଖଇ ନିଦେ

ବ୍ରଜନାଥ ବୋଲେ ଲାଜ ଦୂର କଲେ ଆଜ ବୃନ୍ଦାବନେ ମାତିବୁ ମୋଦେ ।୪।

 

ଏକି ରୀତି ତୋର, କୁଆକୁଟା କଲୁ ଅତୀତ ଲୋ ମା

 

ଘର ବର ଦୁଇ ଦୂର କରିଦେଇ ତୋ ବୋଲେ ଅଇଲି ଏଥି ତ

ମରମର ତୁହି ତରତର ହୋଇ ଆଣି କଲୁ ଏତେ ବ୍ୟଥିତ ଲୋମା ।୧।

 

ଦେଲୁ ଏତେ ଦଣ୍ତ ଭାଲୁ ବାଘ ଗଣ୍ତ ଚାଲୁଥିବେ ଗଜ-ଯୁଥ ତ

ମୁଖରେ ତାଙ୍କର ମୁଁ ଖରେ ପଡ଼ିଲେ ସୁଖୀ ହୁଅନ୍ତା ଚିତ୍ତ ତ ଲୋମା ।୨।

 

ଏ ଗୋପ ଯୁବତୀ ସତୀକି ଅସତୀ ବାଦ ହୋଇଥାନ୍ତି ନିତି ତ

ଫୁଟିଲେ ଏ ମଳ ଫାଟିଲା କପାଳ ଭୋଗ ହେବ ନାଗ ମଥିତ ଲୋମା ।୩।

 

କହୁଥିଲୁ ତୁ ସେ ସେହିଥିବ କୁଞ୍ଜେ ଚାହିଁ ତୋ ଗମନ ପଥ ତ

ଉଠ ଉଠ ମଠ ନକର ଏପାଠ ଛାଡ଼ କହେ ବ୍ରଜନାଥ ତ ଲୋମା ।୪।

 

୧୦

ଆହେ ଜଗନ୍ନାଥ ଦୁଃଖୀର ସଂଗାତ, ନରଖିଲେ ଭାସି ଯାଉଛି ।

ମତ୍ତ ଗରବରେ ପ୍ରଭୁଙ୍କୁ ନ ଚିହ୍ନି ତହିଁ ପ୍ରତିଫଳ ପାଉଛି ।୧।

 

ପୀନ ବାହୁଯୁଗ ଟେକି ରଖିଅଛ ଦୀନକୁ ରଖିବା ପାଇଁ

ଜଗନ୍ନାଥ ତୁମ୍ଭ ଜଗତ ଭିତରେ ମୋତେ କି ଗଣିଲ ନାହିଁ ।୨।

 

କାଳକ ଯାକ ତ ବାଳକ ବୁଦ୍ଧି ମୋ ନ ଗଲା କେହି ତରିଛି

କାଳ ନାଶବ ନାମକୁ ଆଶ୍ରେ କରି ଅକାରଣରେ ମରୁଛି ।୩।

 

ନାହିଁ ତାତ ମାତ ସ୍ୱାମୀ ଇଷ୍ଟ ମିତ୍ର ଭାଇ ବନ୍ଧୁ ଥାଇ ନାହିଁ

ଏପରି ଦରିଦ୍ର ହେଲେହେଁ ସୁରେନ୍ଦ୍ର ! ଆହା ବୋଲନ୍ତାହିଁ ନାହିଁ ।୪।

 

ପତିତପାବନ ବାନା ଉଡ଼ାଉଛ ମୋ ଠାରେ ନଦିଅ ଦୃଷ୍ଟି

ପର ଅପର ବିଚାର ତୁମ୍ଭେ କଲେ କିପରି ରହିବ ସୃଷ୍ଟି ।୫।

 

ଦୀନଜନଙ୍କର ବନ୍ଧୁ ହୋଇ ଦୀନବନ୍ଧୁ ନାମକୁ ବହିଲ

ମୋହଠାରୁ ଦୀନ ଶ୍ରେଷ୍ଠ କେହୁ ଅଛି କାହାକୁ ଆଉ ରଖିଲ ।୬।

 

 

 

ନାହିଁ ଯା ବିନା ଆନ ଗତି ସେ ତାକୁ ସବୁ ତ ଗୋଚର କଲେ

ନଗ ଯେହ୍ନେ ଫଳି ଫୁଟି ଶୀର୍ଣ୍ଣ ହୋଏ କେବଳ ଧରା ଉପରେ ।୭।

 

କି ରୂପ ତୁମ୍ଭର ଭଗତ ହୋଇଛୁ କି ରୂପେ କରୁଛ ଦୟା

ଏହା ନ ଜାଣିଲି ମୁଖେ ତ ହୋଇଲି କେବଳ ଧରିଣ କାୟା ।୮।

 

ଘରେ ବସିଥାଇ ମୁଖେ ଦେଲେ ଖାଇ ଚତୁର୍ମାସ୍ୟା ବକ ପରି

ଆଜଗର ଚିନ୍ତୁ ଅଜାଣେ ଧାତା ବା ଗଢିଲା ମନୁଷ୍ୟ କରି ।୯।

 

ପୂରି ରହିଅଛି କରୁଣା ସମୁଦ୍ର ସରିଯିବ ତହୁଁ କେତେ

କୁଶାଗ୍ର ବିନ୍ଦୁରେ ସୁଖୀ ହୋଇବି ମୁଁ କୋଟି ଜନ୍ମ ପରିଯନ୍ତେ ।୧୦।

 

ଶିଷ୍ଟକରଣ କୁଳରେ ଜାତ ହୋଇ ଇଷ୍ଟ ଭଜି ନ ପାରିଲି

ଅରକ୍ଷ ରକ୍ଷଣ ଜଗତ କାରଣ ଚରଣେ ଶରଣ ଗଲି ।୧୧।

 

ରଖ ବା ନ ରଖ ମୋର ନାହିଁ ସଖ୍ୟ ବିଧିମତେ ସେବିବାର

ବାର ବାର କରି ଜଣାଇଛି ଦୀନ ବରଜନାଥ କିଙ୍କର ।୧୨।

 

୧୧

ଧନ କି ରଙ୍ଗେ ଚାହେ

ତରଙ୍ଗେ ତୁଳ ବାଳ କୁରଙ୍ଗୀ ନୋହେ ।

 

କଟାକ୍ଷ ତଳୁଥାଇ ଶ୍ରବଣ ସୀମା,

ନାଶେ ଅନ୍ୟାୟ ଋଷି ଦମ୍ଭ ଗାରିମା ।୧।

 

ଗଣ୍ତ ମଣ୍ତଳେ ପୂରିଥାଇ ତ ହାସ

ଓଷ୍ଠ ପଲ୍ଲବେ ଲବେ କରି ପ୍ରକାଶ ।୨।

 

ଲେଖା ନାରୀକୁଳେ ସେ ଲେଖା ରସିକା,

ଫୁଲାଇ ପ୍ରଫୁଲ୍ଲିତ ତିଳ ନାସିକା ।୩।

 

ଶତ୍ର ଭୁଲିବ ବତ୍ର ଭ୍ରୂଲତା ନାଟେ,

ମୃଦୁ ମଧୁରେ ପଶି ପ୍ରେମ ଉତ୍କଟେ ।୪।

 

ହାବ ଭାବ ଲୀଳାଦି ତା ନେନ୍ତ୍ରେ ଥାଇ,

ପ୍ରକାଶ ହୋଏ ରତି ସହି ଅସହି ।୫।

 

 

 

ସୁରସେ କବି ବ୍ରଜନାଥ ଭଣଇ,

ନାଗରବର ମନ ଏହା ଜାଣଇ ।୬।

 

୧୨

ମୋତିଦନ୍ତୀ ଦନ୍ତୀବର ଗତି ତ ସେ, କାଲି ରାତି ହେଲା ବାଈ

ଶ୍ୟାମଳ କମଳ-ଦଳନେନ୍ତ୍ରୀ କାମ-ଅମଳ ବା ଥିଲା ଖାଇ ।

 

ଲାଜେ ପାଶେ ସେ ଯେ ନ ବସଇ ଶେଯେ ପଲଙ୍କେ ଅଙ୍କେ ନ ରହେ

କୁଚ ଯୋଡ଼ି ଯୋଡ଼ି ନିବିଡ଼ରେ ଭିଡ଼ି ଜଡ଼ିଗଲା ମୋର ଦେହେ ।୧।

 

ମୋ ବନ୍ଧ ପରାଣ ଧନ କହି ରାଣ ଦେଲେ ଅବା ଚୁମ୍ୱ ଦିଏ

ଚାରୁ ସରୁ ଚୁମ୍ୱ ଶତ ଶତ ବିମ୍ୱ-ଓଷ୍ଠୀ ଦେଲା କେତେ ସ୍ନେହେ ।୨।

 

ଚାଟୁ କରି ଦିନ-ଯାକ ଅବା ପୀନ-ଜଘଂରୁ ଖସାଇ ବାସ

ଅଚୀର ସର୍ବାଙ୍ଗେ ଚିରକାଳ ରଙ୍ଗେ ବିହରିଲା ଏ ମୋ ଦୃଶ ।୩।

 

ଲାଗିଲେ ବିନତି କରି ଯେ ସୁରତି ସମ୍ମତି କରଇ ନାହିଁ

ବିପରୀତେ ମାତି ଝୁଲି ଝୁଲି ଛାତି ପରେ ଶୁଏ ଶ୍ରମ ପାଇ ।୪।

 

ଏ ଅମଳ ଖାଇ ପ୍ରତି ରାତି ବାଈ ହୋଇଥାନ୍ତା ବାଳା ଯେବେ

ବ୍ରଜନାଥ ଭାଷେ ମନୋଜକୁ ଲେଶେ ଭୟ ହୁଅନ୍ତାନି ତେବେ ।୫।

 

୧୩

କେଳି କୁଶଳା ବାଳାମଣି ।

 

ପୀରତି ଘେନା ସୁରତି ଆବେଶେ

ଏ ଗତ ରାତି ମିଳିଲା ମୋ ପାଶେ

ଅଙ୍ଗ ରାଜି ସାଜି ସୁନ୍ଦର ବେଶେ

ବିମ୍ୱ ଅଧର ମଣ୍ତି ଚାରୁ ହାସେ

ମାନସ, ବଶ କଲା ଆହା ସେ ।୧।

 

ଚାହିଁ ମୋହିନୀକି ହୋଇ ଅଦମ୍ଭ,

ହୃଦରେ ମୋଦେ ଯୋଡ଼ି କୁଚକୁମ୍ଭ

ବେଗେ ଆରମ୍ଭ କଲି ପରିରମ୍ଭ

ଜାତହେଲା ଅଙ୍ଗୁ ସାତ୍ୱିକ ଦମ୍ଭ

ପ୍ରକାଶେ, କମ୍ପ ପୁଲକ ସ୍ତମ୍ଭ ।୨।

 

ନୀରଦ ନୟନା ହୋଇ ଉଚ୍ଛନ୍ନ

ତନୁକୁ ଚମକାଇ ଘନ ଘନ

ମନ ଉଲ୍ଲାସରେ ଦେଇ ଚୁମ୍ୱନ

ଠେସଇ ହୃଦରେ କଠିନ ସ୍ତନ ।୩।

 

ଚାଖିଲି ତାର ଅଧର ପୀୟୁଷ,

ସୁଖୀ ହୋଇଲା କେଡ଼େ ମୋ ମାନସ

ଆଖିର ଦୂର ହୋଇଲା ନିମେଷ,

ଦେଖି ତାର ଚିର ମୋହନ ବେଶ ।୪।

 

ଯାହା କଲା ପୁଣି ବିପରୀତରେ,

ଆହା ତା ଜାଣେ ଚିତ୍ତଜ ଚିତ୍ତରେ

କିଙ୍କିଣି କିଣି ଉହୁଁ ନା ଗୀତରେ,

ଚାଟୁ ବାଣୀକି କହିଲା ମଧୁରେ

କିଣିଲା,ମୋତେ ରତି ରତ୍ନରେ ।୫।

 

ଭଣେ ବ୍ରଜନାଥ ମୋ ପୂର୍ବ ପୁଣ୍ୟ

ଥିବାରୁ ହୋଇ ସେ କୁଳ ମଣ୍ତନ

ରସିକା ମଣି ଅନୁଗ୍ରହ ସ୍ଥାନ,

ନ ଦେଖିବି କି ତା ମୁଖ ମଳିନ

ରଖିବ, ମୋରେ ଏ ଅବଧାନ ।୬।

 

୧୪

(ରାଗ-ସିନ୍ଧୁଡ଼ା)

ହେ ପଥିକ ! କାହିଁକି ଯାଉଛ କହ,

ଏ ଘନ ସ୍ତନିତ ନ ବରଷି ନିକି ଛାଡ଼ି ଯିବ କହ କହ ।

 

ଘଡ଼ଘଡ଼ି ରଡ଼ି ଶୁଣି ତରତର ହୋଉଛି ଏ ମୋର ମତି

ଅତନୁ ଅନ୍ଧାର ଘୋଟୁଛି ଏଥିରେ ହେବ ଏକାନ୍ତାର ଗତି ହେ ।୧।

 

ରହ ପୁର ମୋର ପରବାସୀ ବର ଆସୁନାହିଁ କି ବିଚାରେ

ହରବର ଯୋଗ ଅଛି ତୋତେ ଭୋଗ ଯାଅନା ଚଳି ସତ୍ୱରେ ।୨।

 

ସ୍ଫୁଟ ସୁମନେ ମଧୁପେ ବସିଛନ୍ତି ଦେଖ ବାସ ଅଛି ତହିଁ

ହରସେ ମୋହନେ ଶୋଇ ନ ପାରିବି ଦେବି ପରଭାବ ନାହିଁ ହେ ।୩।

 

ସୂତୀକ୍ଷ କଟାକ୍ଷ କାଣ୍ତ ଲକ୍ଷ ଲକ୍ଷ ଲାଖ ତାର ବକ୍ଷ କଲା

କାଶହାସ ପରକାଶ ଆଶା ତାର ଆଶା ଆସ ସୂଚିଗଲା ।୪।

 

ରସିକା-ସିହାଣୀ ଛଳ ଶ୍ଳେଷ ବାଣୀ ଶୁଣି ସେ ନାଗର ମଣି

ହୁହେଁ ଋତିରଙ୍ଗ କଲେ ମାନଭଙ୍ଗ କବି ବ୍ରଜନାଥ ଭଣି ।୫।

 

୧୫

ହରବାସ ଦେଖ ହର ଶୁଚିମତେ ଭୋଗକରେ ଦିଗମ୍ୱରେ

ହେବ ଯେ ରସବଳେ ପ୍ରତିବନ୍ଧକ ଏହୁ କାନ୍ତର ବସେର ହେ ।୧।

 

ପରବାସେ ଯାଇ ପ୍ରିୟ କାହିଁ ରହି ପ୍ରଫୁଲ୍ଲ ସୁମନା କୁଳେ

ଏ ଘନ ସ୍ତନିତ ବରଷିଲେ ଆଗମନ କରିବ ଯେ ବଳେ ହେ ।୨।

 

ଦରବାର ତେଜି ପୁରକୁ ଆସିବେ ଦିଅ ରସ ସୁରତରେ

ବରଜନ ନିଶା ସୁଆଇ ମୋଦକ ହୋଇଛି ଏ କାମନାରେ ହେ ।୩।

 

ଭୋଗି ବିଳାସ ଏପୁରେ ତାପ ହେତୁ ବିଶେଷେ ସେ ତ ନାଗର

ମାରଣରେ ପାଞ୍ଚକାଣ୍ତ ବୁଡ଼ାଉଛି ଯିବକି ରହିବ ପୁର ହେ ।୪।

 

ଧନ କୁଚଭର ଏକା ହେଲେ ନବ ସତତ ସୁଖ ନଦୀରେ

କହେ ବ୍ରଜନାଥ ସେ ରସେ ଉନ୍ମତ୍ତ ହୋଇ ମାତିଲେ ରସରେ ହେ ।୫।